ଦଶପଲ୍ଲା :(ଉତ୍ସର୍ଗ ନ୍ୟୁଜ): ସେଲୁନ କରି ଲୋକଙ୍କ ଚୁଟି କାଟି ନିଜ ପରିବାରର ପ୍ରତିପୋଷଣ କରୁଥିବା ଯୁବକଙ୍କ ପାଖରେ ରହିଛି ଅନେକ ପ୍ରତିଭା । ସେ ସଂଗୀତ ହେଉ କି ଅଭିନୟ ବା ମାଟିରେ ତିଆରି ସୁନ୍ଦର ସୁନ୍ଦର ମୂର୍ତ୍ତି । ଏସବୁ କରି ଆଜି ନିଜ ଅଞ୍ଚଳରେ ବେଶ୍ ଲୋକପ୍ରୀୟତା ସାଉଁଟି ପାରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଅଞ୍ଚଳର ନିର୍ମଳ ବାରିକ(୨୮) ଓରଫ ବାବୁ । ପିଲାଟି ଦିନରୁ କଳା ପ୍ରତି ରହିଛି ଅହେତୁକ ରୁଚି । ସ୍କୁଲ ଠାରୁ ଆରମ୍ଭ କରି କଲେଜ୍ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ଏକକ ଅଭିନୟ ବିଭାଗରେ ଅଂଶ ଗ୍ରହଣ କରି ବେଶ ପ୍ରଶଂସା ସାଉଁଟି ଥିବା ନିର୍ମଳ ,ପରେ ନିଜ ଅଞ୍ଚଳ ସମେତ ଅନେକ ସ୍ଥାନରେ ହେଉଥିବା ବିଭିନ୍ନ ସୌଖିନ ନାଟ୍ୟ ସଂସ୍ଥାରେ ଗୀତ ଗାଇବା ସହିତ ଅଭିନୟରେ ଅଂଶ ଗ୍ରହଣ କରିବା ଆରମ୍ଭ କରିଦେଇଥିଲେ ଏବଂ ବେଶ ପ୍ରଶଂସା ମଧ୍ୟ ସାଉଁଟି ଥିଲେ ।ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ରେ ବିଭିନ୍ନ ଘରୋଇ ଚ୍ୟାନେଲରେ ଅଡିସନ୍ ଦେଇଥିବା ନିର୍ମଳ ପରିସ୍ଥିତିର ଦାସ ସାଜି ନିଜ ଗାଁରେ ଆସି ଏକ ସେଲୁନ କରି ପରିବାର ପ୍ରତିପୋଷଣ କରନ୍ତି । ଏଥି ମଧ୍ୟରେ ନିଜର ନିଶାକୁ ଚରିତାର୍ଥ କରିବା ପାଇଁ ପ୍ରଚେଷ୍ଟା ଏବେ ମଧ୍ୟ ଜାରି ରଖିଛନ୍ତି ।
ଓଡ଼ିଶାର ବହୁ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଗାୟନ ଶୈଳୀ ରେ ଅନୁପ୍ରାଣିତ ହୋଇ ତାଙ୍କର ବହୁ ଗୀତ ଯଥା, ଭଜନ ,ଆଧୁନିକ ଓ ଲୋକ ସଙ୍ଗୀତ ସ୍ଥାନୀୟ ରଙ୍ଗମଞ୍ଚ ରେ ପରିବେଷଣ କରିବା ସହିତ , ଅନେକ ସ୍ଥାନରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଯଦି ନିର୍ମଳ ଙ୍କୁ ଉପଯୁକ୍ତ ସୁଯୋଗ ମିଳେ ସେ ନିଶ୍ଚୟ ତାଙ୍କର ସଙ୍ଗୀତ ଓ ଅଭିନୟ ଦକ୍ଷତା ପ୍ରଦର୍ଶନ କରିପାରିବେ । ନିର୍ମଳ ଯେ ,ଖାଲି ସୁନ୍ଦର ଗୀତ କି ଅଭିନୟ କରନ୍ତି ତାହା ନୁହେଁ ବରଂ ସେ ଜଣେ ମଧ୍ୟ ଭଲ ମୂର୍ତ୍ତି କାରିଗର ମଧ୍ୟ । ବର୍ଷର ବିଭିନ୍ନ ସମୟରେ ଆସୁଥିବା ପୂଜାପାର୍ବଣ ରେ ଦେବାଦେବୀ ଙ୍କ ମୂର୍ତ୍ତି ଗଢି ମଧ୍ୟ ବେଶ୍ ପ୍ରଶଂସା ସାଉଁଟି ଚାଲିଛନ୍ତି । ତେବେ କଣ ନିର୍ମଳଙ୍କ ଇଚ୍ଛା ପୁରଣ ହେବ ! ସଙ୍ଗୀତ କି ଅଭିନୟ କ୍ଷେତ୍ରରେ ତାଙ୍କୁ ସୁଯୋଗ ମିଳିପାରିବ ନା ବଣ ମଲ୍ଲି ବଣରେ ଫୁଟି ମଉଳି ଯିବ ତାହା ଦେଖିବାକୁ ବାକି ରହିଲା ।
Post a Comment