ଗଣିଆ - ବେଆଇନ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ସୋମବାର ଠାରୁ ଧାରଣାରେ ବସିଛନ୍ତି ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ ଖଲିସରା ଗ୍ରାମର ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ ଖଲିସରା ଗ୍ରାମରେ ଗୋଟିଏ ବସଷ୍ଟାଣ୍ଡ ଥିବାବେଳେ ଆଉ ଗୋଟିଏ ବସଷ୍ଟାଣ୍ଡ ଜଣଙ୍କ ବ୍ୟକ୍ତିଗତ ଯାଗାରେ ନିର୍ମାଣ କରାଯାଉଥିବାରୁ ସେମାନେ ବିରୋଧ କରିଛନ୍ତି । ବାରମ୍ବାର ଏ ସମ୍ପର୍କରେ ସେମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ନଶୁଣିବାରୁ ସେମାନେ ବ୍ଳକ ସମ୍ମୁଖରେ ଧାରଣାରେ ବସିରହିଥିଲେ । ତେବେ ସେମାନଙ୍କ ସମସ୍ୟା ସମାଧାନ ନହେବାରୁ ଆଜିଠାରୁ ୩ ଜଣ ଗ୍ରାମବାସୀ ଗଙ୍ଗାଧର ନାୟକ,ମହେଶ୍ବର ବେହେରା, ପ୍ରମୋଦ ମୁଦୁଲି ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ର ଧରି ଆମରଣ ଅନଶନରେ ବସିଥିବା ଜଣାପଡିଛି । ତାଙ୍କ ସହିତ ଅନେକ ଗ୍ରାମବାସୀ ନିଜ ପରିବାର ଙ୍କ ସହିତ ଅନଶନ ସ୍ଥଳରେ ବସି ରହିଛନ୍ତି । ଘଟଣାସ୍ଥଳରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେମାନେ ଆମରଣ ଅନଶନ ଜାରି ରଖିବେ ବୋଲି ଗ୍ରାମ ସଭାପତି କୃଷ୍ଣଚନ୍ଦ୍ର ମୁଦୁଲି ପ୍ରକାଶ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ ବସଷ୍ଟାଣ୍ଡଟି ଜଣକ ବ୍ୟକ୍ତିଗତ ଯାଗାରେ ନିର୍ମାଣ ହେଲା କିପରି ? ଆଉ ଏହାକୁ ଅନୁମତି କିଏ ପ୍ରଦାନ କରିଛି ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।
Post a Comment