//BREAKING//
Loading...

ମା’କୋଳରୁ ନବଜାତକକୁ ଛଡ଼ାଇ ନେଲା ବାପା: ପତ୍ନୀଙ୍କୁ ଭଡ଼ା ଘରେ ଛାଡ଼ି ଫେରାର


ରାଉରକେଲା: ଶିଶୁପୁତ୍ରକୁ ମା’କୋଳରୁ ଅପହରଣ କରିନେଇଛି ବାପା। ମହିଳା ଥାନାରେ ଲିଖିତ ଏତଲା ଦେବାପରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଲିଖିତ ଏତଲା ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ମହିଳାଙ୍କ ସ୍ବାମୀ ଦର୍ପନାରାୟଣ ମଲ୍ଲିକ, ତା’ର ତିନି ସହଯୋଗୀ ଅନୀଲ, ପ୍ରମୋଦ ସାହ ଓ ପୂର୍ଣ୍ଣ ନାଁରେ ମାମଲା ରୁଜୁ କରିଛି। ଏତଲାକୁ ୧୦ ଦିନ ବିତିଯାଇଥିଲେ ହେଁ, ପୁଲିସ ଅପହୃତ ଶିଶୁପୁତ୍ର କିମ୍ବା ଅପହରଣକାରୀ ବାପାକୁ ଠାବ କରିପାରି ନାହିଁ।ଏତଲା ଅନୁଯାୟୀ, ଅଭିଯୋଗକାରିଣୀ ତାରିଣୀପ୍ରିୟା ମଙ୍ଗଳାପ୍ରିୟା ଦାସ (୪୮) ୪ ମାସର ଗର୍ଭବତୀ ଥିବା ଦିନଠୁ ଗର୍ଭସ୍ଥ ପିଲାକୁ ନଷ୍ଟ କରିଦେବାକୁ ସ୍ବାମୀ ଦର୍ପନାରାୟଣ ଧମକ ଦେଇ ଆସୁଥିଲେ। ତାରିଣୀପ୍ରିୟା ନିଜ ସ୍ବାମୀ ଦର୍ପନାରାୟଣଙ୍କ ସହ ତାଙ୍କ ସେକ୍ଟର-୧୬ସ୍ଥିତ ଘରେ ଜାନୁଆରି ମାସ ୫ ତାରିଖ ଯାଏଁ ରହୁଥିଲେ ବି ସ୍ବାମୀଙ୍କ ଧମକକୁ ନଡରି କୌଣସି ମତେ ନିଜ ଗର୍ଭକୁ ସୁରକ୍ଷିତ ରଖିପାରିଥିଲେ। ଜାନୁଆରି ୬ ତାରିଖରେ ତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ସେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାକୁ ଯାଇ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ। ୬ ଦିନ ପରେ ଅର୍ଥାତ୍ ୧୨ ତାରିଖରେ ଦର୍ପନାରାୟଣ କିଛି ଲୋକଙ୍କୁ ହସ୍ପିଟାଲରେ ପଠାଇ ନବଜାତ ଛୁଆକୁ ଘରକୁ ନନେବାକୁ ଧମକ ଦେଇଥିଲେ। ୧୪​ରେ ତାରିଣୀପ୍ରିୟା ଡିସ୍‌ଚାର୍ଜ ହେବାପରେ ଦର୍ପନାରାୟଣ ତାଙ୍କୁ ଘରକୁ ନେବାକୁ ମନା କଲେ ଓ ଏକ ଲଜ୍‌ରେ ନେଇ ରଖିଲେ। ଲଜ୍‌ରେ ୫ ଦିନ ରହିବାପରେ ୧୯ ତାରିଖ ଦିନ ସକାଳେ ଦର୍ପନାରାୟଣ ନିଜ ତିନି ସହଯୋଗୀଙ୍କ ସହ ଲଜ୍‌କୁ ଯାଇ ମହିଳାଙ୍କଠାରୁ ଶିଶୁପୁତ୍ରକୁ ଛଡ଼ାଇନେଇ ଏକ ଧଳାକାର୍‌ରେ କୁଆଡ଼େ ଚାଲି ଯାଇଥିଲେ।

ଏହାପରେ ସେ ଛୁଆ ବିଷୟରେ ଯେତେ ପଚାରିଲେ ବି ଦର୍ପନାରାୟଣ କିଛି କହି ନଥିଲେ। ୨୦ ତାରିଖ ଦିନ ସେ ପତ୍ନୀଙ୍କୁ ସେକ୍ଟର-୧୯ ହମିରପୁରସ୍ଥ ଏକ ଭଡ଼ାଘରେ ନେଇ ରଖିଲେ। କିନ୍ତୁ ଏହାପରେ ୭ ମାସ ଯାଏ ପୁଅର କୌଣସି ସନ୍ଧାନ ନ ପାଇବାରୁ ଗତ ୧୧ ତାରିଖ ଦିନ ମହିଳା ଜଣକ ବାଧ୍ୟ ହୋଇ ସ୍ବାମୀ ଦର୍ପ ନାରାୟଣ ଏବଂ ତାଙ୍କ ତିନି ସହଯୋଗୀଙ୍କ ବିରୋଧରେ ନବଜାତ ପୁତ୍ରର ଅପହରଣ ଅଭିଯୋଗ କରି ପ୍ଲାଣ୍ଟସାଇଟ୍ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀକୁ ଖୋଜୁଥିଲେ ବି ଧରି ପାରି ନାହିଁ। ପିଲାଟି ସଂପର୍କରେ ବି ପୁଲିସ୍‌କୁ କୌଣସି ସୁରାକ ମିଳି ନାହିଁ।


Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe